ମହିମା ଗାଦି ଚତୁପାର୍ଶ୍ୱ ଉନ୍ନତିକରଣ କାର୍ଯ୍ୟର ଭୂମି ପୂଜନ।ଅନୁଷ୍ଠିତ

ଭୁବନେଶ୍ୱର ,(AKN NEW): ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାର ପ୍ରସିଦ୍ଧ ମହିମା ପୀଠ ଢେଙ୍କାନାଳ ଜିଲ୍ଲା ଯୋରନ୍ଦାଠାରେ ଉପାସନା ପୀଠ ଓ ବତୀ ମଣ୍ଡପ ନିର୍ମାଣ, ଭବ୍ୟ ମହିମା ଗାଦି ଶୂନ୍ୟ ମଣ୍ଡପ ନିର୍ମାଣ ଏବଂ ମହିମା ଗାଦି ଚତୁପାର୍ଶ୍ୱ ଉନ୍ନତିକରଣ କାର୍ଯ୍ୟର ଭୂମି ପୂଜନ କରିଛନ୍ତି।
ଯୋରନ୍ଦାଠାରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଦେବ ଭୂମି ଓ ପୂଣ୍ୟ ଭୂମି। ମହିମା ଧର୍ମ ଯୋରନ୍ଦା ମାଟିକୁ ପବିତ୍ର କରିବା ସହ ପ୍ରସିଦ୍ଧି ଆଣି ଭାରତର ଆଧ୍ୟାତ୍ମିକ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଦେଇଛି। ଏଭଳି ପବିତ୍ର ମାଟିକୁ ଆସି ଓ ଆପଣମାନଙ୍କ ସହିତ ମିଶିବାର ସୁଯୋଗ ପାଇ ମୁଁ ବହୁତ ଖୁସି ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ସାରା ବିଶ୍ୱକୁ ଏକ ପରିବାର ଭାବରେ ଗ୍ରହଣ କରି ମହିମା ଧର୍ମ ସରଳ ଜୀବନ, ସମ୍ୟତା ଓ ଜଗତକଲ୍ୟାଣରେ ବିଶ୍ୱାସ କରେ। ମହିମା ଧର୍ମର ମହାନ ସନ୍ଥ ଭୀମ ଭୋଇଙ୍କ ବାର୍ତ୍ତା ଆମ ସମସ୍ତଙ୍କ ପାଇଁ ପ୍ରେରଣା ଅଟେ। ଜଗତକଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିବାର ଚିନ୍ତାଧାରା ଆମକୁ ମହିମା ଧର୍ମ ଶିକ୍ଷା ଦେଇଛି ବୋଲି କହି ମହିମା ଧର୍ମପୀଠର ଉନ୍ନତି ପାଇଁ ୧୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ସେ କହିଥିଲେ।
ଖୁବ ଶୀଘ୍ର କାମ ଆରମ୍ଭ ହେବା ସହିତ ୩ ବର୍ଷ ମଧ୍ୟରେ ଏହି କାର୍ଯ୍ୟ ଶେଷ ହୋଇ ଢେଙ୍କାନାଳ ଜିଲ୍ଲାକୁ ଏହି ପୀଠ ଏକ ନୂଆ ପରିଚୟ ଦେବ ବୋଲି ସେ କହିଥିଲେ। ଯୋରନ୍ଦାକୁ ଓଡିଶା ତଥା ଭାରତର ଆଧ୍ୟାତ୍ମିକ ପର୍ଯ୍ୟଟନ ମାନଚିତ୍ରରେ ଏକ ପ୍ରମୁଖ ପୀଠ ଭାବରେ ପରିଗଣିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ସହଯୋଗ କାମନା କରି ଆଗାମୀ ମାଘ ମେଳା ଓ ଅଗ୍ନି ପୂର୍ଣ୍ଣିମା ପାଇଁ ଶୁଭେଚ୍ଛା ଜଣାଇଥିଲେ।
ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ AKN NEWS


