ଓଡିଶା ଖବର
ମାତ୍ର ୨୬ ବର୍ଷ ବୟସ ରେ ଆଇ.ଆଇ.ଟି ଖଡଗପୁର ରେ ଡକ୍ଟରେଟ ସମ୍ମାନ ରେ ସମ୍ମାନୀତ ଦମାପଲା ଗ୍ରାମ ର ଡଃ ଗୁପ୍ତେଶ୍ୱର ପଟେଲ

- ନୂଆପଡ଼ା ,(AKN NEWS): ଖଡ଼ିଆଳ ବ୍ଲକ୍ ଅନ୍ତର୍ଗତ ଦମାପଲା ଗ୍ରାମର ଯୁବକ ଶ୍ରୀମାନ ଗୁପ୍ତେଶ୍ୱର ପଟେଲ ଖ୍ୟାତିସମ୍ପନ୍ନ ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ (ଉଁଆଇ. ଆଇ. ଟି) ଖଡ଼ଗପୁରରୁ ସମ୍ମାନନୀୟ ଡକ୍ଟରେଟ୍ ଡିଗ୍ରୀ ପ୍ରାପ୍ତ କରିଛନ୍ତି। ତାରିଖ ୧୮ ଡିସେମ୍ୱର୍ ୨୦୨୩ ସୋମବାର ଆୟୋଜିତ ଉକ୍ତ ଦିକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବରେ ଭାରତର ରାଷ୍ଟ୍ରପତି ମାନନୀୟା ଦ୍ରୌପଦୀ ମୁର୍ମୁ ଯୋଗ ଦେଇଥିଲେ। ଶୋଧକ ଭାବରେ ଆଇ. ଆଇ. ଟି ଖଡ଼ଗପୁରରେ ଡ. ପଟେଲ ବ୍ରିକ୍ସ ରାଷ୍ଟ୍ରରେ ପରିବେଶ ଅବକ୍ଷୟର ଅର୍ଥନୈତିକ କାରକ ବିଷୟରେ କରିଥିବା ଗବେଷଣା ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ବିଶେଷଜ୍ଞ ମାନଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ଉଚ୍ଚମାନର ଗବେଷଣାର ଶ୍ରେୟ ନିଜ ମାର୍ଗଦର୍ଶକ ପ୍ରଫେସର ଡ. ମଣ୍ଟୁ କୁମାର ମହାଲିକଙ୍କୁ ଦିଅନ୍ତି ଡ. ପଟେଲ। ମାତା ସାବିତ୍ରୀ ପଟେଲ ଓ ପିତା ଅଚ୍ୟୁତାନନ୍ଦ ପଟେଲଙ୍କ ତତ୍ତ୍ଵାବଧାନ ଓ ଆଶୀର୍ବାଦରେ ଡ. ପଟେଲ ସ୍ଥାନୀୟ ଚିନ୍ଦାଗୁଡ଼ା ପ୍ରାଥମିକ ବିଦ୍ୟାଳୟରୁ ବିଦ୍ୟାରମ୍ଭ କରିଥିଲେ। ପରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଖଡ଼ିଆଳରୁ ଉଚ୍ଚ ପ୍ରାଥମିକ ଓ ଗଙ୍ଗାଧର ମେହେର କନିଷ୍ଠ ମହାବିଦ୍ୟାଳୟରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ଗ୍ରହଣ କରିଥିଲେ। ଖଡ଼ିଆଳ ସ୍ଵୟଂ ଶାସିତ ମହାବିଦ୍ୟାଳୟରୁ ଅର୍ଥଶାସ୍ତ୍ର ସମ୍ମାନରେ ସ୍ନାତକ ଡିଗ୍ରୀ ହାସଲ ସହିତ କଳା ବିଭାଗର ଟପ୍ପର ବିବେଚିତ ହୋଇଥିଲେ। ସୁପ୍ରସିଦ୍ଧ ରେଭେନ୍ସା ବିଶ୍ୱିଦ୍ୟାଳୟରେ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ ସମୟରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁ.ଜି.ସି.) ତରଫରୁ ଜୁନିୟର ରିସର୍ଚ୍ଚ ଫେଲୋ (ଜେ.ଆର.ଏଫ୍.) ଭାବରେ ମନୋନୀତ ହୋଇଥିଲେ । ଏହି ସଫଳତା ତାଙ୍କୁ ଗବେଷଣା କରିବା ନିମନ୍ତେ ପ୍ରେରିତ ଓ ମାର୍ଗ ପ୍ରଶସ୍ତ କରିଥିଲା। ୨୬ ବର୍ଷ ବୟସରେ ଏଭଳି ଏକ ଖ୍ୟାତସମ୍ପନ୍ନ ସଂସ୍ଥାନରୁ ସମ୍ମାନନୀୟ ଡକ୍ଟରେଟ୍ ଡ଼ିଗ୍ରୀ ଲାଭ କରିବା ପରିବାର, ପରିଜନ, ତଥା ଅଞ୍ଚଳରେ ଖୁସିର ଲହରୀ ଖେଳେଇ ଦେଇଛି। ଏଥି ନିମନ୍ତେ ଡ. ପଟେଲ ନିଜର ଶିକ୍ଷା ଜୀବନର ସମସ୍ତ ଗୁରୁ ମାନଙ୍କୁ ତଥା ସଂସ୍ପର୍ଶରେ ଆସିଥିବା ସମସ୍ତ ସୁଧିଜନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରନ୍ତି।
ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news


