ଓଡିଶା ଖବର

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ସ୍ୱାଧୀନ ପ୍ରାର୍ଥୀନୀ ଫୁଲମେ ମାଝୀଙ୍କ ପ୍ରତି ବଢ଼ୁଛି ଜନ ସମର୍ଥନ 

ଲାଞ୍ଜିଗଡ଼ (AKN NEWS ): ନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଲାଞ୍ଜିଗଡ଼ ବିଧାନସଭା ଆସନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଜିଲ୍ଲାର ଫାୟାର ବ୍ରାଣ୍ଡ ନାରୀନେତ୍ରୀ ଓ ସମାଜସେବୀ ଫୁଲମେ ମାଝୀଙ୍କ ପ୍ରାର୍ଥୀତ୍ୱକୁ ନେଇ ଲୋକଙ୍କ ମଧ୍ୟରେ ବେଶ ଚର୍ଚ୍ଚା ହେଉଛି। ଲାଞ୍ଜିଗଡ ବ୍ଲକର ଦୁର୍ଗମ ବନ୍ଧପାରୀ ପଞ୍ଚାୟତ ରାଜେନ୍ଦ୍ରପୁର ଗାଁରେ ଜନ୍ମିତ ଫୁଲମେ ଅତି ଅଳ୍ପ ବୟସରୁ ଲାଞ୍ଜିଗଡ଼, ଥୁଆମୂଳ ରାମପୁର ସମେତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ନିଶାମୁକ୍ତି, ଘରୋଇ ହିଂସା ରୋକିବା, ମହିଳା ସଶକ୍ତିକରଣ, ମହିଳା ଶିକ୍ଷାର ପ୍ରସାରପ୍ରଚାର, ଅନ୍ଧବିଶ୍ୱାସର ଦୂରୀକରଣ, ସାମାଜିକ ପରିବର୍ତ୍ତନ ଆଦି ଦିଗରେ ଦୀର୍ଘ ବର୍ଷ ହେଲା ସମର୍ପିତ ଭାବେ କାର୍ଯ୍ୟ କରି ଆସୁଛନ୍ତି। ସେହିପରି ଡଙ୍ଗରିଆ, ଝରଣିଆ ଆଦିବାସୀଙ୍କ ହକ ଓ ଅଧିକାର ପାଇଁ ଅନେକ ଜନ ଆନ୍ଦୋଳନର ସେ ହେଉଛନ୍ତି ଆଗଧାଡ଼ିର ନେତ୍ରୀ। ନିଜସ୍ୱ ପ୍ରଚେଷ୍ଟାରେ ବିଶ୍ୱନାଥପୁର ଆଞ୍ଚଳିକ ଉନ୍ନୟନ ସମିତି’ ନାମରେ ଏକ ସ୍ବେଛାସେବୀ ସଂଗଠନ ତିଆରି କରି ସେ ଅଞ୍ଚଳରେ ସମାଜସେବା କାର୍ଯ୍ୟ ଜାରି ରଖିଥିବାବେଳେ ରୋଗୀ ଓ ଅସହାୟଙ୍କୁ ନିଜସ୍ୱ ପାଣ୍ଠିରୁ ଚିକିତ୍ସା ଓ ଆର୍ଥିକ ସହାୟତା ଯୋଗାଇ ଦେଇ ଆସୁଛନ୍ତି। କେବଳ କୋଭିଡ ସମୟରେ ସେ କୋଡ଼ିଏ ହଜାରରୁ ଉର୍ଦ୍ଧ୍ଵ ଜନସାଧାରଣଙ୍କୁ ରିଲିଫ ବାଣ୍ଟି ଚର୍ଚ୍ଚିତ ହୋଇଥିଲେ। ଅଞ୍ଚଳର ଉନ୍ନତି ଓ ସମାଜସେବାକୁ ଜୀବନର ବ୍ରତ କରିଥିବା ଫୁଲମେ ନିଜେ ଘର ସଂସାର କରିବାକୁ ବି ଭୁଲି ଯାଇଛନ୍ତି। ଦୁଇଥର ବନ୍ଧପାରୀ ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିଥିବାବେଳେ ଜଣେ ମାଷ୍ଟର ଟ୍ରେନର ଭାବେ ବିଗତ ଦଶ ବର୍ଷ ମଧ୍ୟରେ ହଜାର ହଜାର ଜନ ପ୍ରତିନିଧିଙ୍କୁ ପଞ୍ଚାୟତିରାଜ ବ୍ୟବସ୍ଥା, ଜନ ପ୍ରତିନିଧି ଆଇନ ଓ ଅଧିକାର ସମ୍ପର୍କରେ ତାଲିମ ପ୍ରଦାନ କରି ଆସୁଛନ୍ତି। ନିଜର ଉଲ୍ଲେଖନୀୟ ସମାଜସେବା ପାଇଁ ଶତାଧିକ ରାଜ୍ୟ ଓ ଜାତୀୟ ସ୍ତରୀୟ ଅନୁଷ୍ଠାନରୁ ସମ୍ମାନିତ ଓ ପୁରସ୍କୃତ ଫୁଲମେ ଜାତୀୟ ଯୁବ ପୁରସ୍କାର ପାଇଥିବାବେଳେ ଲାଞ୍ଜିଗଡ ବ୍ଲକର ପ୍ରଥମ କୁଟିଆ କନ୍ଧ ଜନଜାତିର ମହିଳା ଭାବେ ଲଣ୍ଡନ ଯାତ୍ରା କରିଛନ୍ତି। ସ୍ୱାଧୀନ ବିଧାୟିକା ପ୍ରାର୍ଥୀନୀ ଭାବେ ଫୁଲମେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲାଞ୍ଜିଗଡ଼, ଥୁଆମୂଳ ରାମପୁର, ଜୟପାଟଣା ବ୍ଲକ ସମେତ ସଦର ବ୍ଲକ ଅଞ୍ଚଳର ବିଭିନ୍ନ ଗାଁରେ ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର କରିଥିବାବେଳେ ଶହଶହ ମହିଳା ଓ ପୁରୁଷ ସ୍ୱତଃସ୍ଫୁର୍ତ୍ତ ଭାବେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଉଥିବା ଦେଖିବାକୁ ମିଳିଛି। ତାଙ୍କର ପ୍ରଚାର ଶୈଳୀ ବହୁମାତ୍ରାରେ ଲୋକଙ୍କୁ ଆକୃଷ୍ଟ କରୁଥିବାବେଳେ ବିଜେଡି, ବିଜେପି ଓ କଂଗ୍ରେସ ମହଲରେ ଆଲୋଡନ ଖେଳିଯାଇଛି। ଫୁଲମେ କୁଟିଆକନ୍ଧ ଜନଜାତିର ହୋଇଥିବାବେଳେ ଏବଂ ନିର୍ବାଚନ ମଣ୍ଡଳୀର ଦୁର୍ଗମରୁ ଅତି ଦୁର୍ଗମ ଅଂଚଳରେ ଦୀର୍ଘ ଦିନ ଧରି ସମାଜସେବା କରୁଥିବା ଯୋଗୁଁ ସଂଖ୍ୟାବହୁଳ ଏହି ସମ୍ପ୍ରଦାୟ ସମେତ ଅନ୍ୟ ବର୍ଗର ଭୋଟର ମଧ୍ୟ ତାଙ୍କ ପ୍ରତି ସମର୍ଥନ ଦେଉଥିବା ଲକ୍ଷ୍ୟ କରାଯାଇଛି। ମଇଦାନରେ କଂଗ୍ରେସର ବଳଭଦ୍ର ମାଝୀ ଓ ବିଧାୟକ ପ୍ରଦୀପ ଦିଶାରୀଙ୍କ ସମେତ ବିଜେପିର ରମେଶ ମାଝୀଙ୍କୁ ସେ କଡ଼ା ଟକ୍କର ଦେଉଥିବାବେଳେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ଜଣେ ସ୍ୱାଧୀନ ପ୍ରାର୍ଥୀ ଭୋଟରଙ୍କ ପାଇଁ ବିକଳ୍ପ ପ୍ରତିନିଧି ଚୟନ ପାଇଁ ସୁଯୋଗ ଆଣିଦେଇଛନ୍ତି। ତେବେ ନିର୍ବାଚନ ଆଉ ଅଳ୍ପ ଦିନ ବାକି ଥିବାବେଳେ ତିନି ପ୍ରମୁଖ ଦଳର ତିନି ଅଭିଜ୍ଞ ପ୍ରାର୍ଥୀଙ୍କୁ ସେ କିଭଳି ମୁକାବିଲା କରିବେ ଓ ବିଜେଡି, ବିଜେପି ଓ କଂଗ୍ରେସର ତ୍ରିମୁଖୀ ଲଢେଇରେ ନିଜକୁ ପ୍ରମାଣିତ କରିପାରିବେ ଦେଖିବାକୁ ବାକି ରହିଲା।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ପ୍ରତିନିଧି ସୁଶାନ୍ତ କୁମାର ମାଝୀ ଙ୍କ ରିପୋର୍ଟ AKN NEWS

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!