ଭରସୁଜା ଛେଲିଆପାଟ ହାଇସ୍କୁଲରେ ଅନିୟମିତତା ଅଭିଯୋଗ

(AKN NEWS): ଆଗଲପୁର ବ୍ଲକ ଭରସୁଜା ସ୍ଥିତ ଛେଲିଆପାଟ ହାଇସ୍କୁଲ ବହୁବିଧ ଅବ୍ୟବସ୍ଥା ମଧ୍ୟ ଦେଇ ଗତି କରୁଥିବା ଅଭିଯୋଗ ହେଉଛି । ଏ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ବଲାଙ୍ଗୀର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିବା ଜଣାଯାଇଛି । ଅଭିଯୋଗ ମତେ, ଗତ ଅଗଷ୍ଟ ମାସରେ ନବମ ଓ ଦଶମ ଶ୍ରେଣୀର ୪ ଟି ଫରମେଟିଭ ଏସେସମେଣ୍ଟ ପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ୫୦ ଟଙ୍କା ଲେଖାଏଁ ପରୀକ୍ଷା ଚାନ୍ଦା ଅସୁଲି କରାଯାଇଥିଲା । କେବଳ ପ୍ରଥମ ଫରମେଟିଭ ଏସେସମେଣ୍ଟ ପାଇଁ ପ୍ରଶ୍ନପତ୍ର ଛପା ଯାଇଥିବା ବେଳେ ବାକି ତିନୋଟି ପାଇଁ କଳାପଟାରେ ପ୍ରଶ୍ନପତ୍ର ଲେଖି ଦିଆଯାଇଥିଲା । ସୁତରାଂ, ଦ୍ଵିତୀୟ, ତୃତୀୟ ଓ ଚତୁର୍ଥ ଫରମେଟିଭ ପରୀକ୍ଷାର ଟଙ୍କା ସ୍କୁଲ କର୍ତୁପକ୍ଷ ଆତ୍ମସାତ କରିଥିବା ସନ୍ଦେହ ଦୃଢୀଭୂତ ହୋଇଛି । ଚଳିତ ଜାନୁୟାରୀ ମାସରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଠାରୁ ସବସିଡାଏରୀ ଫିଜ ନାମରେ ୧୫୫ ଟଙ୍କା ବେଆଇନ ଭାବେ ବିବିଧ ଫିଜ ଅସୁଲ କରାଯାଇଛି, ଯେଉଁଥିରେ ବିଜୁଳି ଦେୟ ୫୫ ଟଙ୍କା ରହିଛି । ତେବେ ବିଦ୍ୟାଳୟର ଇଲେକ୍ଟ୍ରି ବିଲ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପଇଠ କରୁଥିବା ବେଳେ ସ୍କୁଲ କର୍ତୁପକ୍ଷ କେଉଁ ଟଙ୍କା ଅସୁଲ କରିଛନ୍ତି, ତାହା ସନ୍ଦେହ ଘେରରେ ଥିବା ଅଭିଭାବକ ମାନେ କହିଛନ୍ତି । ଚଳିତ ଜାନୁୟାରୀ ୧୯ ରେ ବିଦ୍ୟାଳୟର ସୃଜନୀ, ଜିଜ୍ଞାସା, କୌଶଲୀ ଓ କ୍ରୀଡାଙ୍ଗଣ ଆଦି କ୍ଳବ୍ ଗୁଡ଼ିକର କୃତିତ୍ୱ କାର୍ଯ୍ୟାବଳୀକୁ ଏକ ଉତ୍ସବ ଆକାରରେ ପ୍ରଦର୍ଶିତ କରିବା ସହିତ ଆଲୁମିନି ଓ ପରିଚାଳନା ସମିତିକୁ ନିମନ୍ତ୍ରିତ କରି ଉତ୍ସବଟିକୁ ଆଡମ୍ବର ସହକାରେ ପାଳନ କରାଯିବା ସକାଶେ ସରକାରଙ୍କ ତରଫରୁ ଶିକ୍ଷା ବିଭାଗ ଜରିଆରେ ୧୨ ହଜାର ଟଙ୍କା ଅନୁଦାନ ଯୋଗାଇ ଦିଆ ଯାଇଥିଲା । ତେବେ ସ୍କୁଲର ଏକ ସ୍ମାର୍ଟ କ୍ଲାସ ରୁମରେ ଯାହିତାହି ଭାବେ ଉତ୍ସବ ଟିକୁ ସାରି ଦେଇ ସରକାରୀ ଅର୍ଥ ବାଟମାରଣା କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ବାବଦରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ପତିଙ୍କ ମତାମତ ପାଇଁ ଯୋଗାଯୋଗ କରାଯାଇଥିଲେ ହେଁ ତାଙ୍କର କୌଣସି ପ୍ରତିକ୍ରିୟା ମିଳି ପାରି ନ ଥିଲା । ବଲାଙ୍ଗୀରର ନବ ନିଯୁକ୍ତ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟିଦେଇ ବିହୀତ ପଦକ୍ଷେପ ନେବା ସକାଶେ ସ୍ଥାନୀୟ ବାସିନ୍ଦା ତଥା ଅଭିଭାବକ ମାନେ ଦାବି କରିଛନ୍ତି ।
ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS


